Welcome Guest ! Today : Wednesday, Oct-01-2014, 8:03:23 PM
ଅବସର ପରର ଦ୍ବିତୀୟ ଜୀବନ, ଅବସର ପରେ ସକ୍ରିୟ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି ଜାରୀ ରଖିଥିବା ଜଣେ ଡାକ୍ତରଙ୍କ ସ‌ହ ଭାବାଲୋଚନା


(ଶୁଭାଶିଷ ପାଣିଗ୍ରାହୀ)
ଅଧିକାଂଶ ସମୟରେ ଦେଖାଯାଏ ଯେ ଅବସର ପରେ ଚାକିରୀରେ ଥିବା ଲୋକେ ସ୍ଥାଣୁ ହୋଇପଡ଼ନ୍ତି୤ ଅବସର ସମୟ ବିତେ ଟିଭି ଦେଖିବାରେ କିମ୍ବା ଛୋଟ ମୋଟ ଘର କାମ କରିବାରେ୤ ତେବେ ଜୀବନର ଅଧାରୁ ଅଧିକ ସମୟ ଯାହାର କଟିଥିବ ନିଜ ବୃତ୍ତି-ବେଉସା ପାଇଁ ଅବସର ପରେ ତା' ବିନା ବଞ୍ଚିବା କଷ୍ଟକର ହେଉନ‌ଥିବ କି? ଏ ପ୍ରଶ୍ନଟିର ଉତ୍ତର ଦେବା ଆହୁରି କଷ୍ଟ୤ ଅବସରର ଅର୍ଥ ଦୈନନ୍ଦିନ କାମରୁ ବିରତି ନେଇ ସାମାଜିକ, ପାରିବାରିକ ଓ ଜଞ୍ଜାଳହୀନ ଚାକିରୀରୁ ବିରାମ ନେବା୤ ତେବେ ଅନେକଙ୍କ ପାଇଁ ଏ ବିରାମର ମାନେ କିଛି ନ ଥାଏ୤ ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବା ଭଳି କିଛି ଲୋକ ଅବସର ପରେ ନିଜର ଜ୍ଞାନର ପରିସରକୁ ଆହୁରି ପରିବ୍ୟାପ୍ତ କରାନ୍ତି୤ ଚାକିରୀର ବ୍ୟସ୍ତତା ଭିତରେ ଜ୍ଞାନ ବିତରଣର ସୁଯୋଗଟିକ‌କ ଯେଉଁ କେବେ କେବେ ହାତଛଡ଼ା ହେଇଯାଉଥିବ ତାକୁ ବଢ଼ାନ୍ତି୤ ପୁରା ସମ‌ୟକୁ ବିନି‌ଯୋଗ କରନ୍ତି ଅଧିକ ପଢ଼ିବା ଓ ଅଧିକ ଜ୍ଞାନ ବିତରଣ କରିବାରେ୤ ଏମିତି ଜଣେ ଡାକ୍ତର ଡା ସୁବାସ ଚନ୍ଦ୍ର ରାଉତ୤ ଭୁବନେଶ୍ୱରରେ ଅବସ୍ଥାପିତ ଡା. ରାଉତ ଓଡ଼ିଶା ସରକାରଙ୍କ ଅଧୀନରେ ଅନେକ କାଳ କାମ କରିବା ପରେ ଅବସର ନେଇସାରିଛନ୍ତି୤ ସେ କିଛି କାଳ କିମ୍ସ କଲେଜରେ ସ‌ହକାରୀ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି୤ ତାଙ୍କର ଅବସର ସମୟ ବିତୁଥିଲା ବ‌ହି ପଢ଼ାରେ ଓ କବୀରଙ୍କ ଦୋହାବଳୀକୁ ଓଡ଼ିଆରେ ଲେଖିବାରେ୤ ଏହି ପଢ଼ାପଢ଼ି-ଲେଖାଲେଖି ଭିତରେ ଥରେ ତାଙ୍କ ଆଖିରେ ପଡ଼ିଲା ଓଡ଼ିଆ ଉଇକିପିଡ଼ିଆର ଫେସବୁକ ଗ୍ରୁପ୤ ସେଠି ଦେଖିଲେ ଓଡ଼ିଆ ଉଇକିପିଡ଼ିଆରେ ନାନାଦି ପ୍ରସଙ୍ଗ ଲେଖିବା ପାଇଁ ଜଣେ ପ୍ରମୁଖ ସଭ୍ୟ ମୃତ୍ୟୁଞ୍ଜୟ କରଙ୍କର ଆମନ୍ତ୍ରଣ୤ ଜିଜ୍ଞାସୁ ଡାକ୍ତର ମନ ପଚାରିବସିଲା ଉଇକିପିଡ଼ିଆ କଣ, ସେଥିରେ ଜଣେ ସାଧାରଣ ଲୋକର ଭୂମିକା କଣ, କିପରି ଜଣେ ସେଥିରେ ପ୍ରସଙ୍ଗମାନ ଲେଖିପାରିବ୤ ମୃତ୍ୟୁଞ୍ଜୟ ଓ ଅନ୍ୟାନ୍ୟ ସଭ୍ୟଙ୍କ ଆଦର ଓ ସମ୍ମାନ ତାଙ୍କୁ ଆଗଭର କରାଇଲା ଅଧିକ ଜାଣିବା ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ୤ ନୂଆ ନୁଆ ଜିନିଷ ଶିଖିବାକୁ ମିଳୁଥାଏ୤ ପ୍ରଥମେ ସେ ଏକ ପ୍ରକଳ୍ପ ଉଇକିକଥାରେ ନୂଆ ନୂଆ ଅସୁବିଧାକୁ ସାମ୍ନା କରିବା ଭିତରେ ଡା. ରାଉତ ଆରମ୍ଭ କଲେ ନିଜ ସାରାଜୀବନର ସାଇତା ଚିକିତ୍ସା ବିଜ୍ଞାନ ସମ୍ପର୍କିତ ପ୍ରସଙ୍ଗ ଲେଖିବା୤ ଆରମ୍ଭରେ ଅସୁବିଧା ହେଉଥିଲା ୟୁନିକୋଡ଼ ଓଡ଼ିଆରେ ଟାଇପ କରି ଲେଖିବାରେ୤ ପରେ ଧୀରେ ଧୀରେ ଅଧିକ ଲେଖୁ ଲେଖୁ ବାଟ ହୁଡ଼ୁଥିବା ଲୋକଟି ପାଲଟିଗଲା ପଟୁ ଲେଖାଳୀ୤ ୪୨ ଟି ନୂଆ ପ୍ରସଙ୍ଗ ତିଆରିଥିବା ଓ ଅନେକ ପ୍ରସଙ୍ଗକୁ ଶତାଧିକ ଥର ସମ୍ପାଦନା କରିଥିବା ଡା. ରାଉତ କହନ୍ତି, 'ବାକି ଉଇକିଆଳିଙ୍କ ଶ୍ରଦ୍ଧା, ସମ୍ମାନ ଓ ସହଯୋଗ ପାଇଁ ମୁଁ ଆଜି ମୋର ପୁରା ଅବସର ଜୀବନ ଓଡ଼ିଆ ଉଇକିପିଡ଼ିଆ ଲେଖିବାରେ ବିନିଯୋଗ କରିଦେଇଛି୤' ଅଗଷ୍ଟ ୭ ରୁ ୧୧ ଯାଏଁ ହଂକଂଠାରେ ଜଗତର ୨୮୬ ରୁ ଅଧିକ ଭାଷାରେ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ଉଇକିଆଳିଙ୍କ ସମାବେଶ "ଉଇକିମାନିଆ ୨୦୧୩"ରେଯୋଗଦାନ କରିଥିବା ଉଇକିଆଳିଙ୍କ ଭିତରୁ ଜଣେ ମାତ୍ର ଓଡ଼ିଆ ଥିଲା ଏ ଲେଖକ୤ ସେଠାରେ ଡା ସୁବାସ ରାଉତଙ୍କ ଭଳି ଆହୁରି କେତେ ଜଣ ବୟୋଜ୍ୟେଷ୍ଠ ଉଇକିପିଡ଼ିଆ ସମ୍ପାଦକଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା୤ ଆଗାମୀ ଉଇକିମାନିଆ ଯାହା ଲଣ୍ଡନରେ ଅନୁଷ୍ଠିତ ହେଉଛି ସେଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଡା. ରାଉତ୤ ସେ ଭୁବନେଶ୍ୱରରେ ଥିବା ବାକି ଯୁବ ସମ୍ପାଦକଙ୍କୁ ଏକାଠି କରି ଅଧିକରୁ ଅଧିକ ସଚେତନତା ତଥା ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରିବା ବାବଦରେ କର୍ମଶାଳାର ଆୟୋଜନ କରୁଛନ୍ତି୤ ସହଜରେ ଓଡ଼ିଆରେ ଲେଖିବା ପାଇଁ ଓଡ଼ିଆ ଉଚ୍ଚାରଣକୁ ନେଇ "ଲେଖନୀ" ନାମରେ ଏକ କି-ବୋର୍ଡ଼ ଲେଆଉଟ ଆମେମାନେ ତିଆରି କରିଥିଲୁ ଯାହା ସହାୟତାରେ କୌଣସି ବି ବ୍ୟକ୍ତି ଓଡ଼ିଆରେ ଟାଇପ କରିପାରିବ୤ ଏଥିରେ ଥିବା ନାନାଦି ଅସୁବିଧାକୁ ଜଣାଇବାରେ ଡା. ରାଉତଙ୍କ ଅବଦାନ କିଛି କମ ନୁହେଁ୤ ଏହା ନିର୍ଭୁଲ ଓଡ଼ିଆ ଟାଇପିଂରେ ସହାୟକ ହେଉଛି୤ ଚାକିରୀ ପରର ଅବସର ଜୀବନ ତାଙ୍କର କଟୁଛି ଉଇକିପିଡ଼ିଆରେ ଡାକ୍ତରୀ ବିଷୟ ସମ୍ପର୍କିତ ପ୍ରସଙ୍ଗ ସମ୍ପାଦନା ଓ କିଛି ମାତ୍ରାରେ କବୀର ଦୋହାର ଓଡ଼ିଆ ଅନୁବାଦ କରିବାରେ୤ ବିଳମ୍ବରେ ଉଇକିପିଡ଼ିଆ ବାବଦରେ ଜାଣିଲେ ବୋଲି କହି ମନ ଉଣା କରି ସେ କହନ୍ତି, “ଆଗରୁ ଜାଣିଥିଲେ ହୁଏତ ଆହୁରି କେତେ ଗୁଡ଼ିଏ ପ୍ରସଙ୍ଗରେ ଲେଖିପାରିଥାନ୍ତି"୤ ନିଜର କୁନି ନାତୁଣୀ ସହିତ ଟିକେ ଖେଳିବା ବ୍ୟତୀତ ବାକି ସମୟ ସେ ଏମିତି ଜଣେ ସ୍ୱର୍େଚ୍ଛାସେବୀ ଭାବରେ ଓଡିଆରେ ଜ୍ଞାନର ବିତରଣର ସବୁଠୁ ବିଶାଳ ମାଧ୍ୟମ ଉଇକିପିଡ଼ିଆରେ ସମ୍ପାଦନାରେ ସମୟ କାଟିବେ ବୋଲି କହନ୍ତି ଡା ସୁବାସ ଚନ୍ଦ୍ର ରାଉତ୤

ଲେଖକଙ୍କ ବାବଦରେ: ସୁଭାସିସ ପାଣିଗ୍ରାହୀ ଓଡ଼ିଆ ଉଇକିପିଡ଼ିଆ ସ‌ହିତ ୩ ବର୍ଷ ଧରି ଜଡ଼ିତ ଅଛନ୍ତି୤ ଅତୀତରେ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ କମ୍ୟୁନିଟି ଓ ପ୍ରୋଗ୍ରାମ ସ‌ପୋର୍ଟ କନସଲଟାଣ୍ଟ ଭାବେ କାମ କରିଛନ୍ତି୤ ଅଧୁନା ସେ ବାଙ୍ଗାଲୋରଠାରେ  ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକ୍ସେସ ଟୁ ନଲେଜରେ ପ୍ରୋଗ୍ରାମ ଅଫିସର ଭାବରେ ଅବସ୍ଥାପିତ୤ ସେଠାରେ ସେ ଭାରତୀୟ ଭାଷାର ଉଇକିପିଡ଼ିଆ ଓ ସେଥିରେ ପ୍ରସଙ୍ଗ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକମାନଙ୍କର ବିକାଶ ନିମନ୍ତେ କାର୍ଯ୍ୟରତ୤ ଟେକ୍ନୋଲୋଜି କ୍ଷେତ୍ରରେ ବିକାଶ ଓ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସମ୍ବନ୍ଧରେ ତାଙ୍କର ଅନେକ ଲେଖା ନାନାଦି ସମ୍ବାଦପ୍ତ୍ର ଓ ପ‌ତ୍ରପ‌ତ୍ରିକାରେ ପ୍ରକାଶିତ୤ ତାଙ୍କୁ subhashshish@cis-india.orgରେ ଇ-ମେଲ ଯୋଗେ ଯୋଗାଯୋଗ କରା‌ଯାଇପାରିବ୤

Posted on 10-Sep-2013


Comments

Post your comment below
Your Name :
Your e-Mail :
Comments :
Submit :
Latest Video posted

Contact us

Shyamsundar Sahoo
Editor-in-Chief, "Odiapua"

H-100, Phase-06, H-Block
Aaya Nagar Extn
New Delhi - 110047

Phone : 011 - 2650 3518 / 2650 1699
Mobile : 0 - 98998 08330

e-Mail : odiapuadelhi@gmail.com